Unknown

ଶାରଦସୁମନ

ଶ୍ରୀ ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ

 

ଉତ୍ସର୍ଗପତ୍ର

ସ୍ୱସ୍ତି ଶ୍ରୀ ଖେମଣ୍ଡିଚଣ୍ଡଳାଗଣ୍ଡକ ପ୍ରତିଭାବିନୋଦ ସାହିତ୍ୟାଟକା ପୁଂସ୍କୋବିଳ ଶ୍ରୀଶ୍ରୀ କୃପାମୟ ଅନଙ୍ଗ ଭୀମଦେବ କେଶରୀ ଶ୍ରୀଶ୍ରୀଶ୍ରୀ ଗଜପତି ମହାରାଜ ମହୋଦୟ ଉଦାର ଚରିତେଷୁ ।

ସ୍ଵାତ୍ଵୀର୍ବ୍ବାଚ ନିବେଦନଂ ।

 

ଶ୍ରୀମାନ୍‌ ଧର୍ମାବତାର ଗଜପତେ !

ଅନ୍ୟାନ୍ୟମାନେ ଚିରଭିମାନୀ ହେବା ସ୍ୱାଭାବସିଦ୍ଧ ଶ୍ରୀଛାମୁ ପବିତ୍ର ଓ ପ୍ରଖ୍ୟାତ ଗଙ୍ଗବଂଶରେ ଜନ୍ମ ଗ୍ରହଣକରି ଅଭିମାନ ଶୂନ୍ୟହେବା ସ୍ୱର୍ଣ୍ଣଚମ୍ପକରେ ସୁବାସ ଥିବା ନ୍ୟାୟ ଏବଂ ବର୍ତ୍ତମାନ ଯୁଗରେ ଲୋକେ ଦେବ ବ୍ରାହ୍ମଣାଦି ପ୍ରତି ବିଶ୍ୱାସ ନରଖି ହିନ୍ଦୁଧର୍ମକୁ ଏକ କାଳୀନ ତ୍‌ଯାଗକରି ନବ୍ୟ ରୁଚିର ଆଦର ସଙ୍ଗେ ସଙ୍ଗେ ପ୍ରାଚୀନ ପ୍ରଚଳିତ ବ୍ୟବହାରକୁ ଘୃଣା ଚକ୍ଷୁରେ ଦେଖୁ ଅଛନ୍ତି ମାତ୍ର ଶ୍ରୀଛାମୁ ଆଧୁନିକ ରୀତିକୁ ସମ୍ପୂର୍ଣ୍ଣ ଆବର କଲେହେଁ ଅତୁଳ ବିଭବଶାଳୀ ଓ ଉପଭୋଗକ୍ଷମ ରାଜସିଂହାସନରେ ଆସୀନ ହୋଇ ସୁଦ୍ଧା ଶିରୀଷ୍କ ପୁଞ୍ଚବତ୍‌ ସୁକୁମାର ଶରୀରକୁ ଅନାହାରାଦି ପରାକାଷ୍ଠା ଦ୍ୱାରା ମନ୍ତ୍ର ତପାଦି ସାଧନା କରିବାହେତୁ ମଣିକାଞ୍ଚନର ସଂଯୋଗ ହୋଇଅଛି । ପୁଣି ଏତେଦୂର ପଣ୍ଡିତ ପ୍ରିୟ ଓ ଏତେଦୂର ସାତ୍ଵୀତ୍ରୁଦାନ କରିବା ମହାରାଜଙ୍କ ସଦୃଶ ଉତ୍କଳରେ ପ୍ରାୟଃ ବିରଳ କହିଲେ ଅତ୍‌ଯୁକ୍ତି ହେବନାହିଁ । ଶ୍ରୀଛାମୁଙ୍କ ସକଳ ଦେବୋପମ ଗୁଣାବଳୀ ଶ୍ରବଣ ଓ ଦର୍ଶନକରି ଉପଢୌକନ ସ୍ଵରୁପ ଶ୍ରୀଛାମୁଙ୍କ ଦାନପୁତ କର କମଳରେ ଭକ୍ତିର ନିଦର୍ଶନ ସ୍ୱରୁପ ‘‘ଶାରଦ ସୁମନ’’ ପୁସ୍ତକ ଖଣ୍ଡି ଅର୍ପଣ କଲି, ସାଦରେ ଗ୍ରହଣକଲେ ଚରିତାର୍ଥ ହେବି । ଇତି ।

 

ଶ୍ରୀଛାମୁଙ୍କ ଶୁଭାକାଂକ୍ଷୀ ଓ ଚିରାଶ୍ରିତ

ଶ୍ରୀ ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ

ବୃହତ୍‌ ଖେମଣ୍ଡି ।

 

ଶାରଦ ସୁମନ

( ଶାରଦୀୟ ପୂଜାଉପଲକ୍ଷେ )

ବିଶ୍ୱବନ୍ଦନୀୟା ଦେବୀ ଜଗଦ୍ଧାତ୍ରୀ

ଦୁରିତନାଶିନୀ ଚତୁର୍ବର୍ଗଦାତ୍ରୀ ।

ଶଙ୍କରଶୋଭିତା ଅଟୁ ସ୍ୱର୍ଣ୍ଣବର୍ଣ୍ଣା

ଶାରଦୀୟୋତ୍ସବ ତୋର ଅନ୍ନପୂର୍ଣ୍ଣା ।

ଆଜି ଏ ଉତ୍ସବେ ସର୍ବେ ଉତ୍ସାହିତ

ପବିତ୍ର ଭାରତ ଆଜି ଆନନ୍ଦିତ ।

ବରଷକେ ଥରେ ତୋ ବିଶେଷପୂଜା

କରନ୍ତି କି ଧନୀ କି ପ୍ରଜା କି ରାଜା ।

ନିଜ ନିଜ ଶକ୍ତି ଅନୁସାରେ ସର୍ବେ

ମାତିଛନ୍ତି ଯେ ଯା,ଉପଚାର ଗର୍ବେ ।

ନାନାବଳିଦ୍ରବ୍ୟ ତୋ ଆଗରେନେଇ

ପୂଜନ୍ତି ବିବିଧ ଈଷ୍ଟ ସିଦ୍ଧିପାଇଁ ।

କେ ବାଞ୍ଛେ ସ୍ତ୍ରୀ ପୁତ୍ର କେ ବିଭବ ଆୟୁ

କେବୋଲେ ମୋହରପତି ଜିଇଁଥାଉ ।

କେ ଲୋଡ଼ଇ ସ୍ଥାନ କିଏ ବିଦ୍ୟା ଜ୍ଞାନ

କେ ମାଗଇ ମୁହିଁ ପାଇବି ସମ୍ମାନ ।

ଆପାତ ସୁରମ୍ୟ ବିଷୟ ସକଳ

ଶରଦ ଜଳଦପରି ଏ ଚଞ୍ଚଳ ।

ପରିଣାମକାଳେ ଫଳ ହେବଦୁଃଖ

ଏହାକୁ କିପାଇଁ ମନେକର ସୁଖ ।

ଉତ୍ତରଭାବକୁ ଅଲକ୍ଷ୍ୟ ଭାବରେ

ଅଜ୍ଞାନ କୂପରେ ବୁଡ଼ି ଅକାତରେ ।

ସେହିସବୁ ଲୋକାକଳିତ କଳ୍ପନା

ଦେଖି ହସୁଥାଏ କାଳ ବିଡ଼ମ୍ବନା ।

ସତ୍ୟ ବିପରୀତ ଅଟେ ଏହିସବୁ

କାହୁଁ ପାଇବଟି ମୁକ୍ତି ମାୟାରବୁ ।

ପୁଣି ହୋଇପାରେ ଅଜ୍ଞାନସମ୍ପଦ

ତାହା ପାଇବାକୁ କାହିଁକି ଆନନ୍ଦ ।

ମୋରମୋର ବୋଲି ଯାହାକୁହିଁ ମଣ

ସେହି ଏକା ଦିଏ ମନରେ କଷଣ ।

ଯେସକଳ କାଳେ ହୋଇବ ଅକ୍ଷୟ,

ମାଗ ଦେବୀ ପାଶେ ସେସବୁ ବିଷୟ ।

 

ରହିବଟି ଏକା ତାହା ଚିରକାଳ

ଯେତେକାଳ ଚନ୍ଦ୍ର ପୃଥିବୀ ଅଟଳ ।

ପୁଣି ସ୍ୱର୍ଣ୍ଣାକ୍ଷରେ ରହିବ ବିରାଜି ।

ପାଜି ବ୍ୟବହାରେ ନକରଟି ବାଜି ।

ଜପିବେ ତୁମ୍ଭର ନାମ ମହାମନ୍ତ୍ରେ

ଲେଖି ମିଶାଇବେ ପୁରାତନ ତନ୍ତ୍ରେ ।

ସେହିଦ୍ରବ୍ୟ ଏକା ହଜିଛି ଭାଗକୁ

ସେହି ଏକା ସର୍ବଜୀବନର ସେତୁ ।

ଖୋଜୁଅଛି ଯାହା ଚଞ୍ଚଳ ମନରେ

ବିଚାର ନିମଗ୍ନେ ଏକାନ୍ତ ସ୍ଥାନରେ ।

ଖୋଜିଲେ ସମୟେ ପାଇବସେ ନିଧି

କରାଇଦେବ ସେ ସବୁ ଈଷ୍ଟସିଦ୍ଧି ।

ସ୍ମରଣ ଶକ୍ତିକୁ ଓଟାର ପୂର୍ବକୁ

ଦେଖିପାରିବଟି ସୁଖ ବିଭବକୁ ।

ଉପରଉଠିଆ ନୁହେ ଏହି କଥା

ଖୁଣ୍ଟ ଉପାଡ଼ିଲେ ଦେଖାଯିବ ପନ୍ଥା ।

ସଂଯମ ମନ୍ତ୍ରକୁ ମଣି ଗୁରୁଦୀକ୍ଷା

ସଂତତ ସଂଯତେ କର କଷ୍ଟ ଶିକ୍ଷା ।

ଆତ୍ମସାତ ଭାବ ତ୍ୟାଗ କର ଆର୍ଯ୍ୟ

ଆପଣାର ମଣି କର ପରକାର୍ଯ୍ୟ ।

 

ଉନ୍ନତି ନିମନ୍ତେ ବିକିଦିଅ ପ୍ରାଣ

ଅନୁକରଣରେ ଯିବେ ଜଣେଜଣ ।

ସ୍ୱାର୍ଥ ପ୍ରତି ଦୃଷ୍ଟି ପତନଂ ନକର

ପରାର୍ଥ ସାଧନେ କଳ୍ମଷ ନଧର ।

 

ଇହପର ସୁଖ ହୋଇଯିବ ତେବେ

ରହିବ ନିଶ୍ଚିନ୍ତେ ଅମର ବିଭବେ ।

ମାଗ ମହାମାୟା ନିକଟେ ସେ ସବୁ

ଦେବେ ନିଶ୍ଚେ ତୁମ୍ଭେ ମନେ ଭାବୁଭାବୁ ।

 

ବଚିତ୍ର ସଂସାର ଯାର ଲିଳାକ୍ଷେତ୍ର

ତାହାଙ୍କ ଅଦେୟ ଅଛି କିସ ମାତ୍ର ।

ମନ ଅନୁଯାୟୀ ସିନା ମହାମାୟୀ

ମିଷ୍ଟାନ୍ନେ ସନ୍ତୋଷ ନୁହନ୍ତି ସେ ଧ୍ୟାୟୀ ।

 

ମାନସିକପୂଜା ଠାରୁ ନାହିଁ ବଡ଼

ତହିଁରେ ଅଲୋଡ଼ା ଅଟେ ଧଡ଼ପଡ଼ ।

ସତ୍ୟଭାଷୀ ହେଲେ ଦେଖା ଦେବେ ସେହୁ

ଅସତ୍ୟରେ ତାଙ୍କୁ ନପାଇବେ କେହୁ ।

 

 

ଏଣୁ ସତ୍ୟତାକୁ କର ଆଗୁସାର

ଶାନ୍ତି ସୁଖ ସବୁ ହୋଇବ ଭଣ୍ଡାର ।

ସତ୍ୟ ଉପୁଜିଲେ ସିଦ୍ଧି ସର୍ବ କର୍ମ

ସେହି ମାତ୍ର ତୁମ୍ଭ ସ୍ଥାନ ସ୍ୱର୍ଗ ଧର୍ମ ।

 

ଦେବୀ ବୀଣାପାଣି କେଉଁ ପାପଫଳେ

କରୁଣା ଉଣା ତୋ ଭାରତ ମଣ୍ଡଳେ ।

ତୋ ତନୟ ମଧ୍ୟେ ମୁହିଁ ଅକିଞ୍ଚନ

ନାହିଁ ମୋର ତୋତେ ପୂଜିବାକୁ ଧନ ।

 

ମାତ୍ର ପତ୍ର ଫଳ ତୋୟ ଭକ୍ତି ଭରେ

ଦେଲେ ତୋଷ ହେଉ ଶୁଣିଛି ଲୋକରେ

ତେଣୁମୁ ନିଃସାର ବଚନ ମାତ୍ରରେ

ପୂଜୁଛି ଗ୍ରହଣ କର ଦେବୀ ଖରେ ।

 

ନାନା କଷ୍ଟ ଦୁଃଖେ କଟାଇଲୁ ବର୍ଷ

ଆଗାମୀ ନହେଉ ଦୁଃସହ ଦୁର୍ଦ୍ଧର୍ଷ ।

ଶୁଭେ କର ଭୂମି ସୁଶସ୍ୟ ଶ୍ୟାମଳା

ଜଗତ ମଙ୍ଗଳ କର ମା ମଙ୍ଗଳା ।

 

 

ପାଇଲେଣି ମହାତାପ ସନ୍ତତରେ

ଖାଇବାକୁ ରଡ଼ିପଡ଼େ ଘରେ ଘରେ ।

ଘୁରି ହେଉଛନ୍ତି ଜାତି ଧର୍ମ ତେଜି

ଅନ୍ନ ଅଭାବରୁ ଗଲାଣି ମରଜି ।

 

ସାହାକୁ କେବଳ ଅଛି ମାତ୍ର ପ୍ରାଣ

ଉଦ୍ଧର ତୁ ଦେବୀ ନାହିଁ ଅନ୍ୟ ତ୍ରାଣ ।

କୃପାନେତ୍ରେ ତୁହିକ୍ଷଣେ ଏଣେଅନା

କିପରି ହେଲାଣି ତୋ ସୁତ ବେଦନା ।

 

ତ୍ରୌଲୋକ୍ୟ ରକ୍ଷିଣୀ ଦୀନାର୍ତ୍ତ ନାଶିନୀ

ଦେବୀ ବୀଣାପାଣି ତ୍ରିତାପ ଧ୍ୱଂସିନୀ ।

କି ବର୍ଣ୍ଣିବି ତୋତେ ମୁ ଅଜ୍ଞାନ ବୁଦ୍ଧି

କ୍ଷମାକର ଦୋଷ କରୁଣା ବାରିଧି ।

 

ପ୍ରଣାମ ପୂର୍ବକ ନେଉଛି ମେଲାଣି

ଜଣାଣ ଗ୍ରହଣ କର ଠାକୁରାଣୀ ।

 

( ପଥିକର ବଟତରୁ ଦର୍ଶନ )

ନମେ ବଟତରୁ ତୋପଦ କମଳେ

ଯେଣୁଜାଣେ ତୁହି ଜଣେ ରବିତଳେ ।

ପରାପର ଏତ ବିବେଚନା ତୋର

ପର ଉପକାରେ ସଦାତୁ ତତ୍ପର ।

କ୍ଳାନ୍ତ ଜନ ମନଜାଣି ସେବାକରୁ

ଶାନ୍ତି ଦେଉ ଲୋକ ନୟନ ପଥରୁ ।

ତନ୍ମୟ ହୃଦୟ ଅଭିଳାଷ ଜାଣି

ଯଥା ଉପଚାର ଦିଅଇ ଜନନୀ ।

ଦେଖି ମାତୃ ସମ ଉପକାରୀ ବର

ବିଧିନାମ ବ୍ୟାଜେ ଦେଇଛିକି ବର ।

ନିଜେ ସହୁ ମହା ସନ୍ତାପ ଶରୀରେ

ପରେ ଶାନ୍ତି ଦେଉ କିଅବା ଭାବରେ ।

ଜାଣିଲି କେବଳ ସୁମହତ ଗୁଣ

ସ୍ଵସୁଖ ବାଞ୍ଛଇ କେବଳ କୃପଣ ।

ଆବ୍ରହ୍ମ କୀଟରୁ ଯାଏ ଆତ୍ମରକ୍ଷା ।

କରିବା ଜଗତେ ଯାଉଅଛି ଦେଖା ।

ନିରକ୍ଷ ରକ୍ଷଣେ ଧାର୍ମିକ ଯେପରି

ସହେ ବହୁକଷ୍ଟ ତୁହି ସେହିପରି ।

ଦେଖାଯାଏ ନାନା ଗୁଣ ତୋହଠାରେ

କି ବର୍ଣ୍ଣିବି ମୁହିଁ ଅଜ୍ଞାନ ବୁଦ୍ଧିରେ ।

କାଳକ୍ରମେ ଲୋକ ରୁଚି ଭିନ୍ନ ଦେଖି

ସେହିପଥେ ଯାଉ ମନେ ଲକ୍ଷ୍ୟରଖି ।

ଶାସ୍ତ୍ରରେ ଅଛିତ ବହୁଜନ ପନ୍ଥା

ପଥିକ ହେବାର ମହତ୍ତର କଥା ।

ନିଦାଘ କାଳରେ ତୋ ଛାୟା ଶୀତଳ

ଶୀତେ ଉଷ୍ମ ଚ୍ଛାୟା ଭୋଗନ୍ତି ସକଳ ।

ପୂର୍ବ ତପଫଳେ ଅରଜିଛୁ କର୍ମ

କାହୁଁ ପାଇବୁ ଏଛାର ନର ଧର୍ମ ।

ଅଚେତନ ନାମ ଥିଲେହେଁ ତୋହର

ମହାଜ୍ଞାନୀ ଅଟୁ ସତେ ତୁ କ୍ଷତର

ଚେତନା ଯାହାଟି ଦେଇଅଛିନରେ

ଧିକକରେ ମୁହିଁ ଧାତାକୁ ମନରେ ।

 

ବିବେକ ଥାଇ ଯା ଜ୍ଞାନ ଶୂନ୍ୟହୋଇ

ଅସତ ମାର୍ଗରେ ପ୍ରବେଶନ୍ତି ଯାଇ ।

କରିବାର ତେଣେଥାଉ ଉପକାର

କସଟ-ଶକଟ ହୃଦରେ ଭଣ୍ଡାର ।

 

 

 

ପୋଡ଼ାପେଟ ପାଇଁ ଅମୁଲ୍ୟ ଜୀବନ

ପତକରେ କରି ଆତ୍ମ ସମର୍ପଣ ।

ପୁଚ୍ଛ ବିଷାଣ ହୀନ ପଶୁପରି

ଆଜ୍ଞା ଆଜ୍ଞା ବୋଲି ଯାଉଛନ୍ତି ମରି ।

 

ଆହାକଲା କାହିଁ ତୋ ପରି ସ୍ୱାଧୀନ

କେଉଁ ଧର୍ମଧରି ଯିବେ ସ୍ୱର୍ଗ ସ୍ଥାନ ।

କେଉଁ କୀର୍ତ୍ତି ଅବା ରହିବ ଲୋକରେ

କେଉଁ ଗୁଣ ଘେନି ସ୍ମରିବେ ଲୋକରେ ।

 

ଯେଉଁ ମହି କଥା ଭାବିବା ନିସ୍ଫଳ

ବୃକ୍ଷ ବିରାଜିଥା ତୁହି ଚିରକାଳ ।

କେତେ କୀଟ ପୁଣି ପକ୍ଷିକୁଳ ତୋର

ଅଙ୍ଗଶାଖା ପାଇ ରହନ୍ତି ସୁଖର ।

 

କେତେଟିଜଞ୍ଜାଳ କଲେହେଁ ସେମାନେ

ମନୋମାଳିନ୍ୟ ତୋ ନଥାଏ ସ୍ୱପନେ ।

ପୁତ୍ର ଜନନୀକୁ ଦେଲେ ହେଲେଦୁଃଖ

ଇଚ୍ଛାକରେ ଯଥା ତନୟର ସୁଖ ।

 

 

ସେହିପରି ତୁମ ଉଦାର ହୃଦୟ

ସଦା ଜୀବପ୍ରତି ପୂର୍ଣ୍ଣ ଦୟାମୟ ।

ପ୍ରାଣି ଯଥାଯୋଗ୍ୟ ଆଶାକୁ ପୂରଣ

କରୁ ଅଜସ୍ର ତୁ ଫଳ ବିତରଣ ।

 

କେତେ କାକ ବଣି ଶୁକାଦି ପତଙ୍ଗ

ଫଳ ଖାଇବାକୁ ସର୍ବଦା ଆତଙ୍କ ।

ଥିବାଯାଏ ଫଳ କରିଣ ପ୍ରଦାନ

ପ୍ରାର୍ଥିର ଯାଚଜ୍ଞା ନକରୁ ଖଣ୍ଡନ ।

 

ପୁଣି ମହାତାପେ ହୋଇ ସଂତ ପିତ

ଗୋଗୋଷ୍ଠ ନିୟନ୍ତି ତୋହରି ଆଶ୍ରିତ ।

ମହାଆନନ୍ଦରେ ତୋର ଛାୟାତଳେ

ସୁଖରେ ନିଦ୍ରାକୁ ଲଭନ୍ତି ସକଳେ ।

 

ଅଶେଷ ଗୁଣର ଯେଣୁ ତୁମ ଧାମ

ପାଇଅଛୁ ତେଣୁ କଳ୍ପ ବୃକ୍ଷନାମ ।

ପରର ନିମନ୍ତେ ବିକିପାରୁ ପ୍ରାଣ

ସ୍ୱାର୍ଥତ୍ୟାଗୀ ଋଷିସମ ତୋର ଗୁଣ ।

 

 

ତୋହଠାରୁ ଉଚ୍ଚଥିଲେ ହେଁ ପାଦପ

ନିଜ ରକ୍ଷଣରେ ସେମାନେ ସଂତପ୍ତ ।

ଉଚ୍ଚହେତୁ ଦୂରୁ ହେଲେ ଦୃଶ୍ୟମାନ

ତୋର ଗୁଣସଙ୍ଗେ ସେମାନେ ଅଗଣ୍ୟ ।

 

ଲମ୍ବ ପଟାବୃତ ମୂର୍ଖଲୋକ କଥା

ନକହିବା ଯାଏ ଶୋଭାପାଏ ଯଥା ।

ତଥା ସେହିମାନେ ଦୂରରୁ ଦ୍ରଷ୍ଟବ୍ୟ

ଗୁଣ ବିଷୟରେ ନୁହନ୍ତି ପ୍ରଷ୍ଟବ୍ୟ ।

 

ବିରାଜୁଛି ତୋରେ ଐଶ୍ୱରୀକ ଶକ୍ତି ।

ସେବାକଲେ ତୁହି ଦେଉଅଛୁ ମୁକ୍ତି ।

ଶତ ଶତ ନର ନାରୀ ପ୍ରତିଦିନ

ଅଭିଷ୍ଟ ନିମନ୍ତେ କରନ୍ତି ପୂଜନ ।

 

ଦେଉ ଧନ ଜ୍ଞାନ ସୁସନ୍ତତି ଆୟୁ

ପୁଣି ଦୁଷ୍ଟବ୍ୟାଧି ରିଷ୍ଟ ଖଣ୍ଡିଥାଉ ।

ଏଣୁ ପୁରାତନ ଋଷି ବୃନ୍ଦ ତୋତେ

ପ୍ରଶଂସିତ କରି ଲେଖିଛନ୍ତି କେତେ ।

 

 

ଈଶ୍ୱର ବୋଲି ମୁଁ କରେ ସମ୍ବୋଧନ

ଗୁଣ ଗୁଣି ଆଜି ହେଲା ପୁତମନ ।

ମୁହିଁ ମହାପାପୀ ଜନଙ୍କ ମଧ୍ୟରେ

ଅସତ ପନ୍ଥାରେ ସଦା ଗତିକରେ ।

 

ବୃଥା ମାୟା ମୋହେ ହୋଇଣ ମୋହିତ୍‌

ମୋର ମୋର ବୋଲେ ଧନ ଆଦି ସୁତ ।

ଏହି ଭବତାପୁ ଉଦ୍ଧାର ର ମାର୍ଗ

ଦେଖାଇ ଦିଅହେ କୃପାକରି ବର୍ଗ ।

 

ତୁମ୍ଭନାମ ଦୀନ ହୃଦୟ ପଟରେ

ଅକ୍ଷୟ ଅକ୍ଷରେ ରହିଲା ସ୍ପଷ୍ଟରେ ।

ରଖିଥିବ ପ୍ରଭୋ ଆପଣା ଆଶ୍ରୟେ

ବିଦାୟ ନେଉଛି ପ୍ରଣାମତ ପୟେ

 

ବଡ଼ଖେମଣ୍ଡି ରାଜ୍ୟସ୍ଥ

( କେଦାର-ପୁର ଶମ୍ଭୁ ଦର୍ଶନ )

ପବିତ୍ରିତ ହେବ ଆଜ ପାଞ୍ଚ ମନ

କରିବଟି ଯେଣୁ ଶମ୍ଭୁଙ୍କୁ ଦର୍ଶନ ।

ଅନେକ ଦିନର ସୁପୋଷିତ ଆଶା

ପୂର୍ଣ୍ଣହେବ ଆଜି ମେଣ୍ଟିବ ଦୁର୍ଦଶା ।

ଚତୁର୍ଦିଗେ ବେଢ଼ା ହୋଇଛି ସୁନ୍ଦର

ସୁଧା ଢଳା ହେତୁ ଦିଶେ ଶୁଭ୍ରତର ।

ମଧ୍ୟେ କାରୁକାର୍ଯ୍ୟ ଶୋଭନ ଦେଉଳ

ଦେଖାଏ ଶିଳ୍ପର ହସ୍ତ କି କୌଶଳ ।

ଭୂମି କଳ୍ପଦ୍ରୁମ କୃପାମୟଙ୍କର

ଅପୂର୍ବ କୀରତି ଏହିଯେ ମନ୍ଦିର ।

ଚିରସ୍ଥାୟୀ କାର୍ଯ୍ୟ ହୋଇଅଛି ଯେଣୁ

ଅକ୍ଷୟ ଅକ୍ଷରେ ରହିଯିବ ତେଣୁ ।

ପୁଣି ଜଣାଯାଏ ମହାରାଜାଙ୍କର

ମନୋରଥ ସିଦ୍ଧି ଯେତେ ଭଜ ସ୍ଥିର ।

ଯେତେଦିନ ଲୋକେ ଏହି ବିରାଜିବ

ଗଜପତି ଈଷ୍ଟ, ଅଖଣ୍ଡ ରହିବ ।

 

ମନ୍ଦିର କବିର ଉପମା ଆକର

ଇଂତସ୍ତତଃ ହେଲା ପଡ଼ି ମୋ ହସ୍ତର ।

ପଡ଼ିଥାନ୍ତୁ ଯେବେ ନେତ୍ରେ ସୁକବିଙ୍କ

ଲେଖିଥାନ୍ତେ ତୋର ସର୍ବ ଶୋଭାଅଙ୍କ ।

 

ବିସନ୍ନ ନୋହିତୁ ଘେନଏ ବର୍ଣ୍ଣନା

ଦୋଷ ପରିହାରକର ମୋ ପ୍ରାର୍ଥନା ।

ଅବନୀ ଦେବୀର ହୀରା ମଲ୍ଲକଢ଼ି

ଥୁଆ ହୋଇଛିକି ହୋଇ ଗଢ଼ା ଗଢ଼ି ।

 

କିବା ଚିହ୍ନାଉଛି ରାଜାଙ୍କର ମନ

ସ୍ୱଚ୍ଛତା ଏପରି ଯେଣୁ ଶୁଭ୍ର ବର୍ଣ୍ଣ ।

ନୋହେ ଜ୍ଞାନଧନ ଧନ ଥିବାର ଫରୁଆ

ରୂପାରେ ନିର୍ମ୍ମିତ ପୃଷ୍ଠ ରୁଆ ରୁଆ ।

 

ଖୋଷା ଭୂଷା ଝରାକାଠି ଦିଗଙ୍ଗନା

ରୁସି ଫିଙ୍ଗିଛିକି ହୋଏ ଆଲୋଚନା ।

ଅବା ଶିବ କୋପ ଶାନ୍ତିପାଇଁ ଦେବେ

ଅମୃତ ବରସି ଥିଲେ ଯାହା ପୂର୍ବେ ।

 

ତୁମ୍ଭୀ ଏକତ୍ରିତ ହୋଇଅଛି ତାହା

କବି ମନେ ମନେ ବିଚାରଇ ଏହା ।

ଏହାଦେଖି ଆଗୁ ଭୁଲିଗଲା ମନ

ପ୍ରଧାନ ଉଦ୍ଦେଶ ଶମ୍ଭୁଙ୍କ ଦର୍ଶନ ।

 

ମନ୍ଦିର ପ୍ରବେଶ ଦ୍ୱାର ଆଗେ ଗୁରୁ

ସ୍ତମ୍ଭାକାରେ ଶୀଳା ରହିଛି ପୂର୍ବରୁ ।

ଦେଖି ମନେ ଶଙ୍କା ହୁଅଇ ଜନର

ବେତ୍ର ଖଣ୍ଡକିବା ନନ୍ଦିଙ୍କ ହସ୍ତର ।

 

ସାବଧାନ ହୋଇ ଜିବାକୁ ଆଦେଶ

ଦେଉଅଛି କିଏ ପାଷାଣ ବିଶେଷ ।

ତାର ନିକଟରେ ମହା ବୃକ୍ଷରାଜ

ରହିଅଛି ଯାହା ଏ ଅଟଇ ବ୍ୟାଜ ।

 

ଯାତ୍ରିଙ୍କ ପଥକ ସନ୍ତାପ ନାଶନ

ଧର୍ମ୍ମଶାଳା କିବା ଧାତାର ଗଠନ ।

ଦେଉଳ ଦ୍ୱାରର ଉଭୟ ପାର୍ଶ୍ୱରେ

ନନ୍ଦୀ ଭୃକ୍କୁଟି ସେ ପ୍ରତିମା ରୂପରେ ।

 

 

ରହିଛନ୍ତି ପୁଣି ପ୍ରଥମ ମନ୍ଦିରେ

ଅସଂଖ୍ୟ ବୃଷଭ ପ୍ରଭୁଙ୍କ ଅଗ୍ରରେ ।

ତାପର ମନ୍ଦିରେ ସୁଲିଙ୍ଗ ଆକାର

ପ୍ରଭୁ ବିଜୟେ ସେ ଶ୍ରୀଶିବ ଶଙ୍କର ।

 

ସର୍ପରେ ବେଷ୍ଟିତ ହୋଇଛନ୍ତି ସେହି

ବେଲ୍ୱଦଳାକୃତେ ଅଦୃଶଟି ହୋଇ ।

ପାପି ମାନଙ୍କର ପାପକୁ ଖଣ୍ଡନ

କରୁଛନ୍ତି ରହି ପ୍ରଭୁ ତ୍ରିଲୋଚନ।

 

ସୃଷ୍ଟି ସ୍ଥିତି ନାଶ ଯାହାଙ୍କର ହସ୍ତେ

ଅଭୀଷ୍ଟ ଦେବାକି ଚିତ୍ର ହେବ ଏଥେ ।

ପ୍ରତିଦିନ ଏହି ପ୍ରଭୁଙ୍କ ଆଶ୍ରୟେ

ଧାରଣା ପଡ଼ନ୍ତି ଜନେ ଦୁଃଖ ଭୟେ ।

 

ଅଳ୍ପଦିନ ପରେ ମହାନ୍‌ବ୍ୟାଧିରୁ

ମୁକ୍ତି ଲଭୁଛନ୍ତି ଈଶ୍ୱର କୃପାରୁ ।

କେତେକେତେ ନାନା ମନୋରଥ ପାଇଁ

ପ୍ରତିଦିନ ଆସୁ ଅଛନ୍ତିଟି ଧାଇଁ ।

 

 

ପୁଣି କେତେ ଜନେ ଲକ୍ଷ୍ୟରଖି ମନେ ।

ଦର୍ଶନ କରନ୍ତି ଆସି ସଂକ୍ରମଣେ ।

ମୋର ଈଷ୍ଟ ସିଦ୍ଧି ଅବଶ୍ୟ ହୋଇବ

ଦେଇଦେବେ ନିଶ୍ଚେ ପ୍ରଭୁ ସଦାଶିବ ।

 

ମୋରେ କିପାଁ ହେବେ କରୁଣା ବିହୀନ

ଉଦ୍ଧାର କରିବେ ଶ୍ରୀ ଉମାରମଣ ।

ମନୋଗତ ଭାବ ଗ୍ରହଣ କୁ କର

ଅନ୍ତର୍ଯ୍ୟାମୀ ଯେଣୁ କହିବା ନିସ୍ଫଳ ।

 

ଭବମାୟା ମୋତେ କରେ ହନ୍ତସନ୍ତ

ଏହି ତାପ ନୋହୁ ହେ ଭବାନୀ କାନ୍ତ ।

ଆପଣା କରମ ପାପ ଆଚରଣ

ଏହାକୁ ମନରେ ନକରି ଗଣନ ।

 

କଷ୍ଟହେଲା ବେଳେ ମନେ ଦିଏ ଗାଳି

ଅପରାଧ ସବୁ ଯାଅହେ ସମ୍ଭାଳି ।

ଶେଷକଥା ମାଗେ ଏଦୋଷି ଜନକୁ

ଯାହାଇଚ୍ଛା ତୁମ୍ଭେ କର ଅଧୀନକୁ ।

 

 

ଭୂଦେବେ ସ୍ତୋତ୍ରାଦି ଗୁଣୁଛନ୍ତି ବସି

ଦେଖି ଆନନ୍ଦରେ ଦୁଃଖଗଲା ମିଶି ।

ଆହା, ସମୟର କି କୁଟିଳ ଗତି

ଏମାନଙ୍କ ବଶେ ଥିଲେ ସର୍ବେ ଯତୀ ।

 

ଭାବିଲେ ପୂର୍ବର ଦ୍ୱିଜଙ୍କର ସୁଖ

ଆଜି ବିପରୀତ ଅବନତି ଦୁଃଖ ।

ସର୍ବ କାଳଠାରୁ ଯେଥିଲେ ପ୍ରଧାନ

ସେ ଆଜି ହେଲେଣି ସାମାନ୍ୟରୁ ସାନ ।

 

ଦେଖିଲେ ଲୋକର ହୁଅଇଟି ଘୃଣା

ମନ୍ତ୍ର ତପାଦିର ଯିବାରୁ ସାଧନା ।

ଛାଡ଼ିଦେଲେ କାର୍ଯ୍ୟ ଶାସ୍ତ୍ରଧର୍ମ୍ମ ଯେଣୁ

ପାଇଲେଟି ଦ୍ୱିଜେ ଅପମାନ ତେଣୁ ।

 

ପୂଜୁଥିଲେ ଯାଙ୍କ ପାଦ ନାରାୟଣ

ସେହି କରୁଛନ୍ତି ଶୁଦ୍ରା ନୁସରଣ ।

ଜଟିଳ ତପସ୍ୱୀ ବେଶେ ଦ୍ୱାର ଦ୍ୱାର

ଭିକ୍ଷା ମାଗୁଛ ଯା ଧିକ ବ୍ୟବହାର ।

 

 

ଯେଉଁଦିନୁ ଦ୍ୱିଜେ ଛାଡ଼ିଲ ଆଶ୍ରମ

ପୁଣି ବାର୍ଦ୍ଧକ୍ୟରେ ସନ୍ୟାସ ଧରମ ।

ତାହା ସଙ୍ଗେ ସଙ୍ଗେ ତେଜିଅଛ ସୁଖ

କାହାକୁ ନକହି ଭୁଞ୍ଜୁଥାଅ ଦୁଃଖ ।

 

ଅବିଦ୍ୟ ହେଲେହେଁ ପୂଜ୍ୟ ସେ ବାହ୍ମଣ

ବୋଲି ମୁହିଁ କରେ ତୁମ୍ଭକୁ ପ୍ରଣାମ ।

ମୁଁ ମଧ୍ୟ ବ୍ରାହ୍ମଣ ଅପାଳ ପାଉଁସ

ତୁମ୍ଭ ସଙ୍ଗେ ଜଣେ ମୁହିଁ ଅମନୁଷ୍ୟ ।

 

କରିଲି ଭର୍ତ୍ସନା ବୋଲି ମନେ ମାଫ

ନଦେବ ଗୋସାଇଁ ଦୋଷକର ମାଫ ।

ବେତା ଦ୍ୱାର ଅଛି ପୂର୍ବ ଓ ଦକ୍ଷିଣ

ଉତ୍ତରେ କୃତ୍ରିମ ନଦୀ ଯାଏ କ୍ଷୀଣ ।

 

ଦକ୍ଷିଣ ଦ୍ୱାରର ପାଖେ ଜଳାଶୟ

ସ୍ୱଚ୍ଛଥାଏ ଯଥା ସୁମିତ୍ର ହୃଦୟ ।

ତଥା ସୁନିର୍ମ୍ମଳ ପୁଷ୍କରିଣୀ ଜଳ

ପୁଣି ଫୁଟିଅଛି ଏଥେ ନୀଳୋତ୍ପଳ ।

 

 

ପ୍ରୋଥିତ ହୋଇଛି ଯୂପ ଦୁଇଅନ୍ତ

ଚକ୍ର ତଥିପରେ ଦିଶେ ଶୋଭାବନ୍ତ ।

ଗଭୀରତା ସଙ୍ଗେ କରିଛି ଛଳନା

ପଣ୍ଡିତଙ୍କ ସୂକ୍ଷ୍ମ ବୁଦ୍ଧିକି କଳନା ।

 

ଦେଉଳ ମୁଖକି ଦେଖିବା ନିମନ୍ତେ ।

ଆଦର୍ଶକୁ ଥୋଇ ଦେଇଛି ଅଗ୍ରତେ ।

କିବା କୀର୍ତ୍ତି କର୍ତ୍ତା ହୃଦୟର ସ୍ୱଚ୍ଛ

କରିଅଛି ଏଥେ ଭଲକରି କଛ ।

 

ଅଗ୍ରେ ନିକଟରେ ରହିଛି ପର୍ବ୍ବତ

ବୃକ୍ଷ ଲତାଦିରେ ହୋଇଛି ଶୋଭିତ ।

ସ୍ଥାନେ ସ୍ଥାନେ ଅଛି ଯେପରି ତିଳକ

ରୁଷି ଗୁମ୍ଫ ପୁଣି ହୋଇଛି ସଂଯୋଗ ।

 

ପୂର୍ବେ ତପିଙ୍କର ଥିବାରୁ ଏସ୍ଥାନ

ମନ୍ତ୍ର ସିଦ୍ଧିହେତୁ ଅଟେ ପୂତବନ ।

ନାନା ସୁମଧୁରେ ଶୁଭେ ପକ୍ଷୀଧ୍ୱନି

ପ୍ରତିଧ୍ୱନି କରେ ଭାସଙ୍ଗେ ଅବନୀ ।

 

 

ସହସ୍ର ଜନ୍ତୁଙ୍କୁ ଯୋଗାଇଣ ବାସ

ପୋଷି ଅଛି ଗିରି କରି ତାଙ୍କୁ ଦାସ ।

ବିବିଧ ପ୍ରକାରେ ପୁଷ୍ପଅଛି ଯେଣୁ

ଅମୋଦିତ କରେ ସକଳଙ୍କୁ ତେଣୁ ।

 

କିଅବା ବିପଣୀ ପ୍ରକୃତି ସୁନ୍ଦରୀ

ଖୋଲିଅଛି ମନ ନେବା ପାଇଁ ହରି ।

ଅଛି ସ୍ଥାନେ ସ୍ଥାନେ ପାଦପ ରସାଳ

ଉପରେ ଉଠିଛି ଉପବୃକ୍ଷ କାଳ ।

 

ମାରି ମରିବ ସେ ଦୁର୍ଜ୍ଜନର ପରି

ଆପେ ମରେ ଯଥା ସାଧୁଙ୍କୁ ସଂହାରି ।

ଗିରିରାଜ ନାମ ପାଇଅଛି ଯେଣୁ

ଦୁଷ୍ଟ ଶାନ୍ତ ପ୍ରାଣି ରଖିଅଛି ତେଣୁ ।

 

ଅଛି ହିଂସ୍ର ଜନ୍ତୁ ରୁକ୍ଷ ଅଜଗର

ପଥିକ ଦର୍ଶକ ଭୟର ଆକର ।

ରହିଥାଏ କୋପ ଅନଳ ଗୁପ୍ତରେ

ଯଥା ଶାନ୍ତ ଋଷି ମାନସ ମଧ୍ୟରେ ।

 

 

ସମୟେ ଉତ୍ତାରି କରେ ସର୍ବନାଶ

ତଥା ଦୁଷ୍ଟଜନ୍ତୁ ଜନେ ଦିଏ ତ୍ରାସ ।

ବିବିଧ ଔଷଧ ବୃକ୍ଷ ଏଥେ ଅଛି

ଗିରି ଗୁପତରେ ସଂପାଦି ରଖିଛି ।

 

ଅବା ଉପକାର ପାଇଁ ରୋଗି ଙ୍କର

ଔଷଧ ଆଳୟ ଅଟେ ଏ ଗିରିର ।

ଉମା ଉମା ହୋଇ କେତେକ ପ୍ରସ୍ତର

ରହିଛନ୍ତି ଶୂନ୍ୟେ ଲାଗେ ମହାଡ଼ର ।

 

କେବେହେଲେ ଏହା ପଡ଼ିଯିବ ନାହିଁ

ଆୟୁଥିଲେ ରୋଗୀ ଯଥା ନମରଇ ।

ଯାଉଛି ଘରକୁ ମେଲାଣି ମୁ ନେଇ

ସନ୍ଧ୍ୟା ହୋଇଗଲା ବାଟ ଚାହିଁ ଚାହିଁ ।

 

ଯୋଗନାହିଁ ଆଉ ତୋ ସୌନ୍ଦର୍ଯ୍ୟ ଦେଖି

ପବିତ୍ର ପ୍ରଫୁଲ୍ଲ ହୋଇବାକୁ ଆଖି ।

ଅନ୍ଧକାର ମୋତେ କଲା ଅନ୍ଧାକାର

ଏଣୁ ବନ୍ଧା ଲୋକପରି ନେତ୍ରମୋର ।

 

 

ଖାଲିଦେହେ ଯାଏ ନେଲୁ ମନପ୍ରାଣ

ମାତ୍ର ଏହିବାକ୍ୟ କରତୁ ଗ୍ରହଣ ।

ଯାହା ରାଜ୍ୟେ ଅଛୁ ଘରକରି ତୁହି

ଯାର ପରସାଦେ ବଡ଼ବୋଲି କହି ।

 

ତାହାର କେବଳ ମଙ୍ଗଳ କାମନା

କରୁଥାଅ ଶେଷ ବିଦାୟ ପ୍ରାର୍ଥନା ।

 

କୁମାର ପୂର୍ଣ୍ଣମୀ ।

ଲୋକରୁ ମେଲାଣି ହେଲେ ଦିନମଣି

ତାପୁ କ୍ଷଣେ ଶାନ୍ତି ପାଇଲା ଧରଣୀ ।

ଚାହୁଁ ଚାହୁଁ ହେଲା ସନ୍ଧ୍ୟା ଆଗମନ

ସର୍ବଜନ ମନେ ଶଙ୍କା କଲା ସ୍ଥାନ ।

 

ପକ୍ଷୀକୁଳ ଯାନ୍ତି ବସାକୁ ଏଁକାଳେ

ରାତ୍ରିକ ବିଦାୟ ଉଠିବେ ସକାଳେ ।

କାଆ ରାବଦେଇ ଗଲେ କାକ ଆଳୀ

କରନ୍ତି କି ରୋଷେ ରଜନୀକୁ ଗାଳି ।

 

ଶୁକ ଖଞ୍ଜରୀଟ ପତଙ୍ଗାଦି ସ୍ୱନ

ନୋହେ ଧ୍ୱନୀ କିବା ସାୟାହ୍ନ ବନ୍ଦନ ।

ଗୋଗୋଷ୍ଠ ଆସନ୍ତି ରାଜପଥେ ଖରେ ।

ହମ୍ବା ହମ୍ବା ରଡ଼ିଦେଇ ଉଚ୍ଚସ୍ୱରେ ।

 

ସ୍ତନର ପୃଥୁଳ ହେତୁ ମନ୍ଦ ଗତି

ବତ୍ସର ଦର୍ଶନେ ବଳିଅଛି ମତି ।

ପୟୋଧର କିବା ରକ୍ଷକ ନିମନ୍ତେ

ଉପହାର ଧରି ଯାଆନ୍ତି ସଙ୍ଗତେ ।

 

ଗୋଷ୍ଠ ଅତିକ୍ରମୀ କେତେକେତେ ଧେନୁ

ଆଗରେ ଧାଆନ୍ତି ଫୁଲାଇଣ ତନୁ ।

ତେଣେ ବତ୍ସ ମାତୃ ରାବ ଲକ୍ଷକରି

ପାଛୋଟି ଆସନ୍ତି ଆନନ୍ଦେ ଉଚ୍ଛଳି ।

 

ପୁତ୍ର ଜନନୀର ହେଲା ସମ୍ମିଳନ

ଆନନ୍ଦର ସୀମା ଅଟେ ଅକଳନ ।

କୁମାର ପୌର୍ଣ୍ଣମୀ ଜହ୍ନର ଉଦୟ

ସ୍ୱଚ୍ଛ ଦିଶେ ଯଥା ଋଷିର ହୃଦୟ ।

 

କଥା ଶୁଭ୍ରମୟ ଏ କିରଣ ରାଶି

ଦେଖି ଲୋକମନେ ପଡ଼େ ଭାବଆସି ।

ସତ୍ୟ ରୂପବନ୍ତ ହୋଇକି ଜଗତେ

ଆସଇ ମିଥ୍ୟାକୁ ନାଶିବା ନିମନ୍ତେ ।

 

ଉଦୟ ଅଚଳ ଆବରଣ ଯେଣୁ

ଅର୍ଦ୍ଧୋଦୟ ତନୁ ଦେଖାଗଲା ତେଣୁ ।

ରାହୁଗ୍ରାସ ତ୍ରାସ ଏତିକି ବା ଭୁକ୍ତି

ପାଇଜିବ ଦେହ ଏବେ ପୂର୍ଣ୍ଣ ମୁକ୍ତି ।

 

କିଛିକ୍ଷଣ ପରେ ଦେଖାଗଲା ପୂର୍ଣ୍ଣ ।

ବର୍ଣ୍ଣନା ଆଭାଷେ ଏହିଠାରେ ଚୂର୍ଣ୍ଣ ।

ରାତ୍ରି ବାଳି କିବା ରୌପ୍ୟ ଥାଳିପରେ ।

କୁନ୍ଦ ମଲ୍ଲିପୁଷ୍ପ ଥୋଇ ମାଳାକାରେ

 

ଧରିଛି ପୂଜାକୁ ପୁରନ୍ଦର ଆଶା

ମଧ୍ୟରେ ଚନ୍ଦନ ସୁକସ୍ତୁରୀ ମିଶା !

ନୋହିଲେ ଧରଣୀ ନୀଳ ମୁକୁଟର

ମଧ୍ୟେ, ବିରାଜୁଛି ଖଣ୍ଡେ ହୀରାବର ।

 

ଅବା ଦିଗାଙ୍ଗନା ପିନ୍ଧି ନୀଳ ସାଢ଼ି

କଟି ମେଖଳାରେ ମଣିକି ସଜାଡ଼ି

ସୁଧାବୀଜ କିବା ମେରୁରେ ବିଧାତା

ବୁଣିଥିଲା ଉଠେ ପୁଷ୍ପ ହୋଇ କି ତା ।

 

ଆକାଶ ଗାମିଙ୍କ ପଥ ପ୍ରଦର୍ଶକ

ଏହିଅଟେ କିବା ଦୀପ ଚନ୍ଦ୍ର ଲୋକ ।

କୁମାରଙ୍କ ଆଜି ଉତ୍ସବର ଦିନ

ପିନ୍ଧିଲେ ସକଳେ ବସନ ନବୀନ ।

 

 

ପୁଣି ସ୍ୱପିଅର ପାଶେ ଅଳି କରି

ନେଲେ ଟଙ୍କା କେତେ କଉଡ଼ି ଓଟାରି ।

ଧନୀ ଧନବ୍ୟୟେ ନାହିଁ ସିନା ଚିନ୍ତା

ଦରିଦ୍ର ଚିନ୍ତିତ ଗାଳିଦେବ କାନ୍ତା ।

 

କରଜ କରିଣ ଆଣିବ ନିଶ୍ଚୟେ

କେତେ ତୁନିହେବ ପୁତ୍ର ରଡ଼ି ଭୟେ ।

ବିବିଧ ଉପାୟ କରି କଷ୍ଟ ସହି

ଆଣିବାକୁ ହେଲା ଖଦି ମୁଣ୍ଡେ ବହି ।

 

ଏଣୁ ଘର ଘୋର କହନ୍ତି ଜଗତ

କୁଟୁମ୍ବ ରକ୍ଷଣ କଷ୍ଟ ହରକତ ।

ତ୍ୟାଗୀ ସନ୍ନ୍ୟାସୀର ନାହିଁ କିଛିଡ଼ର

ସକଳେ ଆପଣା ସକଳେହିଁ ପର ।

 

ପୁଅ ଝିଅ ନାହିଁ କେହି କାନ୍ଦିବାକୁ

ପତ୍ନୀନାହିଁ ତାର ଡରାଇବ ତାକୁ ।

ସାହି ପଡ଼ିସା ସେ କରିଅଛି ମନ

ସକଳ ସମୟେ ସ୍ଥାନ ତା ନିର୍ଜ୍ଜନ ।

 

 

ପୂର୍ଣ୍ଣମୀ ଉଆଁସ ତାହାର ସମାନ

ସୁଖ ଦୁଃଖ ସମ ବୋଲି କରେଜ୍ଞାନ ।

ପ୍ରାଣି ପ୍ରତି ହିଂସାନାହିଁ କଦାଚିତେ

ଆଦର କୀଟରୁ ବ୍ରହ୍ମ ପରିଯନ୍ତେ ।

 

ଭାବୁକ ମନରେ ଭାବୁ ଏହି ଭାବ

ଶୁଭିଗଲା ତେଣେ ପିଲାଙ୍କର ରାବ ।

ଖେଳନ୍ତି ବାଳକେ ପୁଞ୍ଜ ପୁଞ୍ଜ ହୋଇ

କଉଡ଼ି ପଇସା ପାଶେ କୁନ୍ଦଥୋଇ

 

ସକଟା ଗଞ୍ଜପା ତିରିପୁ ନକସ

ଟଙ୍କା ଦେବାକୁ କି ବୁଝଇ ସକସ ।

ବାଘବନ୍ଦୀ ପଶା ଆଜି ନ୍ୟାୟବଳ

ଏଥିପ୍ରତି ଲୋଡ଼ା ଅଟଇଟି ବଳ ।

 

ଏହିପରି ଅଛି କେତେ ଖେଳ ଖଳ

କଳନା କରିବା କେବଳ ନିଷ୍ଫଳ ।

କେତେ ଖେଳ ନାମ ନଆସଇ ସତେ

ମନେ ପଡ଼ିଗଲା ଅନ୍ୟଭାବ ମତେ ।

 

 

କୁମାରଙ୍କ ସିନା ଉତ୍ସବ ଦିବସ

ବୃଦ୍ଧ ଯୁବକ ତ ଆନନ୍ଦେ ଅବଶ ।

ପ୍ରାଚୀନ ସଂସ୍କାର ଧରି କିବା ମନେ

ବାଲ୍ୟ କ୍ରୀଡ଼ା କରୁଅଛନ୍ତିଟି ଜନେ ।

 

ପିନ୍ଧିବାକୁ ତେତେ ନଥାଉ ଆଦର

ଖେଳିବାକୁ ଆଗେ ଅତ୍ୟନ୍ତ ତତ୍ପର ।

ପଇସା କେବଳ ଝିଙ୍କୁଅଛି ମନ

ସେହି ନିସ୍ତୁଗଲେ ହୋଇବେ ବିସନ୍ନ ।

 

ଦେଇ ଦେବା ପ୍ରତି ନାହିଁ ଅଭିପ୍ରାୟ

ଅନ୍ୟେନ୍ୟେ ଏପରି ପଛେ ହାୟହାୟ ।

ଯଥା ମରଣର ଥିଲେହେଁ ନିଶ୍ଚୟ

ମାତ୍ର କାର୍ଯ୍ୟକାଳେ ହୃଦୟ ଅଭୟ ।

 

ତଥା ଦେବା ଏକା ଶେଷଅଛି ଫଳ

ପ୍ରଥମେ ମାନସ ଡହଳ ବିକଳ

ସବୁ ଏହିପରି ହୁଏ ବୁଦ୍ଧିବଣା

ଭଲ କାର୍ଯ୍ୟ ଆଗେ ଲାଗଇ ଅଲଣା ।

 

 

ପଛେ ଛଟପଟ ହେଲେ ହେବ କଣ

ଲୋଭଘେନି ଲୋକ ଅଯଶ ମରଣ ।

ଏହି ଲୋଭ ଯେବେ ନପାଅନ୍ତା ସ୍ଥାନ

ଲୋକ ପାଉଥାନ୍ତେ ପରମ ସୁଜ୍ଞାନ ।

 

ଏକତାର ସୂତ୍ର ହୋଇ ଅଖଣ୍ଡିତ

ଲୋକ ଈଷ୍ଟସିଦ୍ଧି ନଥାନ୍ତା ଭଣ୍ଡିତ ।

ପରହିଂସା ସତେ ରହି ନାମାଙ୍କିତେ

ସ୍ନେହ ହେଉଥାନ୍ତା ସୁଫଳକୁ କେତେ ।

 

ଯାଉସବୁ କଥା ଭବମାୟା ସେହି

ମୋହିତ ସକଳେ ନଛାଡ଼ନ୍ତି କେହି ।

ମସ୍ତକ ଉପରେ ଦିଶେ ନିଶାମଣି

ମିଶିଛନ୍ତି ତାରା କେ ପାରିବ ଗଣି ।

 

ନାନା ଉପମାର ଆକର ଆକାଶ

ସାଗର ଶୋଭାକି ହରିବା ସକାଶ ।

ତାଙ୍କର ପୁଷ୍ପକୁ ସହି କି କୁମୁଦ

ପ୍ରଷ୍ଫୁଟିତ ହୋଇ ଦେଉଅଛି ମୁଦ ।

 

 

ପୁଣି ଠାବେଠାବେ ମାଳିଣ ଚିଆଳୀ

ଜଳର ସ୍ୱଚ୍ଛତା ଯଥାଥାଏ ଗିଳି ।

ତଥା ଖଣ୍ଡ ଖଣ୍ଡ ଦିଶେ ମେଘ ଯେଣୁ

ଗଗନ ମଳିଣ ସ୍ଥାନେ ସ୍ଥାନେ ତେଣୁ ।

 

ପୁଣ ମୀନାବର୍ତ୍ତ ଭ୍ରମ ଏ କରଇ

ପେଚା ଥରେ ଥରେ ଆକାଶେ ଉଡ଼ଇ ।

କିଅବା ଆୟତ ରାଜିବ ଦଳରେ

ଜଳବିନୁ ପଡ଼ିଅଛି ତର ତରେ ।

 

ନୋହିଲେ ବିଦାରି ଅନ୍ଧକାର କରି

ମୁକ୍ତାଫିଙ୍ଗି ମଧ୍ୟେ ବସିଛି କେଶରୀ ।

ନୁହେ ଏ ସ୍ୱର୍ଗର ମଲ୍ଲିପୁଷ୍ପ ବନ

ଶୁକ୍ଳ ଗୋଲାପଟି ମଧ୍ୟରେ ଶୋଭନ ।

 

ଦେଖି କବି ମନେ ଏମନ୍ତ ଆଭାଷି

କାଳସ୍ରୋତେ ପଡ଼ି ଜିବ ଏହାଭାଷି !

ଏତେବଡ଼ ଶୋଭା ହୋଇବ ବିନାଶ

ନିଷ୍ପ୍ରଭ ହୋଇବ ଏକ୍ଷଣି ଆକାଶ ।

 

 

ଉର୍ଦ୍ଧ୍ୱକୁ ଉଠିଲେ ଅବଶ୍ୟ ପତନ

ହେବାର ବିଧିର ଅଲଂଘ୍ୟ ଘଟନ ।

ଏଣୁ ଉଚ୍ଚସ୍ଥାନ ଉଠିବାକୁ ମନେ

ସଂକୋଚ ହୁଅନ୍ତି ଜ୍ଞାତସାର ଜନେ ।

 

ମଧ୍ୟମରେ ଥିଲେ ଅଟେ ମହାସୁଖ

ପଛକୁ ନିଶ୍ଚୟ ନାହିଁ ବହୁଦୁଃଖ ।

ଆପଣା ଶକ୍ତିକୁ ଅଭିରିକ୍ତ କରି

କଲେ ଉପହାସ ସଙ୍ଗେ ସଙ୍ଗେ ମରି ।

 

ଦେଖୁ ଦେଖୁ ଆସେ ଚନ୍ଦ୍ର ଅସ୍ତଦଶା

ମଳିଣ କିରଣ ପାଇଯିବ ନିଶା ।

ଯଥାଦିଶେ ପତିହୀନା ନାରୀ ମୁଖ

ତଥା ଫିକାହେଲା ଚନ୍ଦ୍ରଙ୍କ ମୟୁଖ

 

ପୂର୍ବଦିଗେ କୁଆ ତାରକା ଉଇଁଲା

ଉଷା ଆଗମନ ଆଗୁଁ ଜଣାଇଲା ।

ଦୀପମାଳା କାନ୍ତିଶୂନ୍ୟ ହେବା ଦେଖି

ଭୂଷୁରେ ଉଠିଲେ ଶଯ୍ୟାକୁ ଉପେକ୍ଷି ।

 

 

ବ୍ରାହ୍ମ୍ୟ ମୁହୁର୍ତ୍ତରେ ପ୍ରାତଃ ସ୍ମରଣକୁ

ସାରି ବାହାରିଲେ ସ୍ନାନ କରିବାକୁ ।

କୁକ୍କୁଟ ରଟିଲା ବ୍ୟାଜସିନା ଏହି

ନିଶା ପାଇଗଲା ବୋଲି ଦେଲାକହି ।

 

ଶୁଭିଲା ଦେଉଳେ ଶୁଭ ଶଙ୍ଖଧ୍ୱନି

ମଙ୍ଗଳ ଆରାତ୍ରି ବାଦ୍ୟହେଲା ପୁଣି ।

ନିଦ୍ରା ଭାଜିଗଲା ଜଗତ ଜନର

ଉଦର ପୋଷଣେ ହେଲେ ତରତର ।

 

ଆକାଶୁ ବରଣ ଅରୁଣ ଉଦୟ

ଦେଖି କୁମୁଦିନୀ ମନେକଲା ଭୟ ।

ଅସ୍ତହେଲେ ଚନ୍ଦ୍ର ଅସ୍ତାଚଳ ଚୂଳେ

ଉଦେହେଲେ ପୂର୍ବେରବି ଏହିକାଳେ ।

 

ସୌଭକର ପାଇ ହସିଲା ପଦ୍ମିନୀ

ମଳିନ ମୁଦ୍ରିତ ହେଲା କୁମୁଦିନୀ ।

ସୁଖ ଦୁଃଖ ଚକ୍ର ବୁଲେ ବିଶ୍ୱମଧ୍ୟ

କ୍ଷଣେ କ୍ଷଣେ ଭିନ୍ନ ଘଟନା ଅବାଧ୍ୟ ।

 

 

ଆଜି ଯେ ହସୁଛି କାଲି ସେ କାନ୍ଦିବ

ଆଜିଯେ ସାମାନ୍ୟ କାଲିସେ ବଢ଼ିବ ।

କୌଣସି ବିଷୟ ସମଭାବ ହୋଇ

ରହିବ ନାହିଁଟି ଲକ୍ଷ୍ୟ ରଖ ଭାଇ ।

 

କରିବା କରମ କେବଳ କହିବ

ମାଟି ପିଣ୍ଡ ବିଜେ ମାଟିରେ ମିଶିବ ।

ଆସିଛି ଯେରୂପେ ଯିବ ସେହିମତେ

ଟଙ୍କା ସୁନା ଧନ ନଯିବ ସଙ୍ଗତେ

 

ସାବଧାନେ କର ଯଶ ଉପାର୍ଜ୍ଜନ

ଯୁଗେ ଯୁଗେ ତାହା ନୋଇବ ମଳିନ ।

ଜଳେ ଅଗ୍ନିରେ ବା ନୋହିବ ବିନାଶ

ଆରତ୍ରି କେମୁକ୍ତି ହେବସେ ଅବଶ୍ୟ ।

 

ପ୍ରଭୋ ! ବିଶ୍ୱପତି କମଳା ରମଣ

କରେମୁ ପ୍ରଣାମ ତୁମ୍ଭେ ଗୋ ଶରଣ ।

——————

ସମାପ୍ତ